Published January 8, 2026 | Version NA
Journal article Open

ଦେବୀ ଦୀପ୍ତି: ପୁରାଣରୁ ପ୍ରଜ୍ଞା ପର୍ଯ୍ୟନ୍ତ

  • 1. ଓଡ଼ିଆ ଭାଷା ସାହିତ୍ୟ ବିଭାଗ, ରେଭେନ୍ସା ବିଶ୍ଵବଦ୍ୟାଳୟ, କଟକ

Description

ସନାତନ ଧର୍ମର ବିଭିନ୍ନ ଧାରା ମଧ୍ୟରେ ଶାକ୍ତ ଧର୍ମ ଏକ ଅତୀବ ପ୍ରାଚୀନ ଏବଂ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ। ଏହା ଶକ୍ତି ଉପରେ ଆଧାରିତ ଧର୍ମ, ଯେଉଁଠାରେ ମାତୃରୂପା ମହାଶକ୍ତି ବା ଆଦିଶକ୍ତି କୁ ଉପାସନା କରାଯାଏ। ଏହି ଶକ୍ତି ହିଁ ସମଗ୍ର ସୃଷ୍ଟିର କାରଣ, ସ୍ଥିତି ଏବଂ ବିଲୟର ଆଧାର। ଶାକ୍ତ ଧର୍ମ କେବଳ ଏକ ଉପାସନା ପଦ୍ଧତି ନୁହେଁ, ଏହା ଏକ ଗଭୀର ଦାର୍ଶନିକ ତତ୍ତ୍ଵ ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରାର ପ୍ରତୀକ।ଶକ୍ତି ହେଉଛି ପରମବ୍ରହ୍ମଙ୍କର କ୍ରିୟାଶୀଳ  ସ୍ୱରୂପ, ଯାହାଙ୍କ ବିନା ଶିବ ବା ଅନ୍ୟ କୌଣସି ପୁରୁଷ ତତ୍ତ୍ଵ ନିଷ୍କ୍ରିୟ ଓ ନିରର୍ଥକ। ଶାସ୍ତ୍ର କହେ: "ସାମର୍ଥ୍ୟ ସର୍ବଭାବନାଂ ଶକ୍ତିରିତ୍ୟଭିଧିୟତେ" ଅର୍ଥାତ୍ ଉତ୍ପତ୍ତି, ସ୍ଥିତି, ଓ ସଂହାରର ସାମର୍ଥ୍ୟ ହିଁ ଶକ୍ତି। ଶାକ୍ତ ପରମ୍ପରାରେ ମୁଖ୍ୟତଃ ତିନି ଶକ୍ତିଙ୍କୁ ଗୁରୁତ୍ଵ ଦିଆଯାଇଛି। ତମୋଗୁଣର ପ୍ରତୀକ, ସଂହାର ଏବଂ ସମୟର ଦେବୀ ରୂପେ ମହାକାଳୀ,ରଜୋଗୁଣର ପ୍ରତୀକ, ଐଶ୍ୱର୍ଯ୍ୟ, ଶ୍ରୀ ଓ ସ୍ଥିତିର ଦେବୀ ରୂପେ ମହାଲକ୍ଷ୍ମୀ,ସତ୍ତ୍ଵଗୁଣର ପ୍ରତୀକ, ବିଦ୍ୟା, ଜ୍ଞାନ ଓ ମୁକ୍ତି ପ୍ରଦାୟିନୀ ରୂପେ ମହାସରସ୍ଵତୀ। ମାର୍କଣ୍ଡେୟ ପୁରାଣର ଅଂଶବିଶେଷ 'ଦେବୀ ମାହାତ୍ମ୍ୟ'ରେ ଶକ୍ତିଙ୍କୁ ବିଶ୍ୱର ମୂଳ କାରଣ ରୂପେ ବର୍ଣ୍ଣନା କରାଯାଇଛି, ଯାହା ଦେବତାମାନଙ୍କୁ ସାମର୍ଥ୍ୟ ପ୍ରଦାନ କରି ଅସୁରଙ୍କୁ ବିନାଶ କରେ। ସେହି ଶକ୍ତିର ବିଭିନ୍ନ ରୂପ ସମୂହ ଦୁର୍ଗା, କାଳୀ, ଉମା ଭାବରେ ପୂଜିତ ହୋଇଥାନ୍ତି।ଶାକ୍ତ ଧର୍ମରେ ଉପାସନାର ଦୁଇଟି ମୁଖ୍ୟ ଧାରା ଦେଖାଯାଏ

 *ଶ୍ରୀ-କୂଳ (ସୌମ୍ୟ ଉପାସନା): ଏଥିରେ ଦେବୀଙ୍କର ସୌମ୍ୟ ରୂପ ଯଥା ତ୍ରିପୁର ସୁନ୍ଦରୀ, ଲଳିତା, ଲକ୍ଷ୍ମୀ ଆଦିଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ପୂଜା କରାଯାଏ। ଏହା ମୁଖ୍ୟତଃ ଦକ୍ଷିଣାଚାର ପଦ୍ଧତି।

 *କାଳୀ-କୂଳ (ଉଗ୍ର ଉପାସନା): ଏଥିରେ କାଳୀ, ତାରା, ଛିନ୍ନମସ୍ତା ଆଦି ଉଗ୍ର ରୂପର ପୂଜା କରାଯାଏ, ଯାହା ମୁଖ୍ୟତଃ ବାମାଚାର (ତନ୍ତ୍ର) ପଦ୍ଧତିରେ ପରିଚାଳିତ।

ଶାକ୍ତ ସାଧନାରେ ମନ୍ତ୍ର, ଯନ୍ତ୍ର (ଯଥା ଶ୍ରୀ-ଯନ୍ତ୍ର), ଏବଂ ତନ୍ତ୍ରର ମହତ୍ତ୍ୱ ଅତୁଳନୀୟ। ତନ୍ତ୍ର କେବଳ ମନ୍ତ୍ରର ଗୁପ୍ତ ପ୍ରୟୋଗ ନୁହେଁ, ଏହା ମୁଖ୍ୟତଃ ଦେହ ମଧ୍ୟରେ ଥିବା କୁଣ୍ଡଳିନୀ ଶକ୍ତିକୁ ଜାଗ୍ରତ କରି ମୋକ୍ଷ ପ୍ରାପ୍ତିର ଏକ ଜଟିଳ ଯୋଗାଭ୍ୟାସ।ଓଡ଼ିଶା, ଯାହାର ପ୍ରାଚୀନ ନାମ ଉତ୍କଳ, ଶାକ୍ତ ପରମ୍ପରାର ଏକ ପ୍ରମୁଖ କେନ୍ଦ୍ରଭାବେ ପରିଗଣିତ। ଏହି ମାଟିକୁ ଊଡ୍ଡୀୟାନ ପୀଠ ବା ଶକ୍ତି ପୀଠ ଭାବରେ ଗ୍ରହଣ କରାଯାଇଛି, ଯାହା ବୌଦ୍ଧ ତନ୍ତ୍ରଯାନର ଆଦିଭୂମି ଭାବରେ ମଧ୍ୟ ପରିଚିତ।

 ବିରଜା କ୍ଷେତ୍ର, ଯାଜପୁର,ବିମଳା ପୀଠ, ପୁରୀ ,ମା' ମଙ୍ଗଳା, କାକଟପୁର, କଟକଚଣ୍ଡୀ, ସମଲେଶ୍ୱରୀ, ଚର୍ଚ୍ଚିକା, ତାରିଣୀ ଆଦି ଅନେକ ଶକ୍ତି ପୀଠ ଓଡ଼ିଶାରେ ଶାକ୍ତ ଧର୍ମର ଜୀବନ୍ତ ପରମ୍ପରାକୁ ବହନ କରିଛନ୍ତି।ଓଡ଼ିଶାର ବିଶାଳ ଜଗନ୍ନାଥ ସଂସ୍କୃତିରେ ଶାକ୍ତ ଧର୍ମ ଅବିଚ୍ଛେଦ୍ୟ ଭାବରେ ସମ୍ମିଳିତ। ଶାକ୍ତମାନେ ଶ୍ରୀଜଗନ୍ନାଥଙ୍କୁ ଶକ୍ତି ବା ଭୈରବ ରୂପରେ ପରିକଳ୍ପନା କରିଥାନ୍ତି। ପୁରୁଷୋତ୍ତମ କ୍ଷେତ୍ରର ମଧ୍ୟସ୍ଥଳରେ ଥିବା ମା' ସୁଭଦ୍ରାଙ୍କୁ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ଯୋଗମାୟା ବା ଏକାନଂଶା ରୂପେ ଆରାଧନା କରାଯାଏ। 'କାଳୀକୁଳ ସର୍ବସ୍ୱ' ନାମକ ତନ୍ତ୍ର ଗ୍ରନ୍ଥରେ ସୁଭଦ୍ରାଙ୍କୁ ମହାକାଳୀଙ୍କର ଏକ ଭିନ୍ନ ପ୍ରକାଶ ଭାବେ ଦର୍ଶାଯାଇଛି। ଶ୍ରୀମନ୍ଦିରରେ ବୈଷ୍ଣବ, ଶୈବ ଧର୍ମ ସହ ଶାକ୍ତ ଧର୍ମର ପୂଜା ବିଧି ମଧ୍ୟ ଅନୁସୃତ ହୋଇ ଏକ ଚିରନ୍ତନ ସମନ୍ୱୟର ବାର୍ତ୍ତା ବହନ କରେ।

ଶାକ୍ତ ଧର୍ମ ଏକପକ୍ଷରେ ପୁରାଣରେ ବର୍ଣ୍ଣିତ ମହାଶକ୍ତି ତତ୍ତ୍ୱର ଆଧାର ହୋଇଥିବାବେଳେ, ଅନ୍ୟପକ୍ଷରେ ଓଡ଼ିଶାର ସାଂସ୍କୃତିକ ଓ ଧାର୍ମିକ ଜୀବନର ମୂଳଦୁଆ। ଓଡ଼ିଶାର ଶକ୍ତି ପୀଠଗୁଡ଼ିକ ଏବଂ ଜଗନ୍ନାଥ ଧର୍ମରେ ଶକ୍ତିର ସମନ୍ୱିତ ଉପାସନା ଭାରତୀୟ ସମନ୍ୱୟବାଦୀ ସଂସ୍କୃତିର ଏକ ଅନନ୍ୟ ଉଦାହରଣ।

Files

Article No - BPP00367.pdf

Files (228.0 kB)

Name Size Download all
md5:564e999d10f58d626bbc3eb8c37414a5
228.0 kB Preview Download

Additional details

Additional titles

Alternative title (English)
Devi Dipti: Puranaru Prajna Parjyanta

Software